ବିଜେଡିର କ୍ରିକେଟ୍ ଓ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ବିଜେତା ପାଇଁ ୧ ଲକ୍ଷ ବେଳେ ରନର୍ସ-ଅପ୍ ଟିମକୁ ମିଳିବ ୫୦,୦୦୦, କ୍ରିକେଟରେ ମ୍ୟାନ୍ ଅଫ ଦି ସିରିଜଙ୍କୁ୍ ହିରୋ ସିବିଜେଡ୍ ଏକ୍ସଟ୍ରିମ ୧୬୦ ଆର୍ ବାଇକ୍ ।

ଭୁବନେଶ୍ୱର: ରାଜ୍ୟର ଯୁବକମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆକର୍ଷଣ ବଢ଼ାଇ ଉତ୍କର୍ଷ ସୃଷ୍ଟି କରିବା ପାଇଁ ଶାସକ ଦଳ ବିଜେଡି ଏକ ନୂଆ ଯୋଜନା ଆରମ୍ଭ କରିଛି । ସବୁ ଜିଲ୍ଲାରେ କ୍ରିକେଟ୍‌ ଓ ଫୁଟବଲ୍‌ ପ୍ରିମିୟର୍‌‌ ଲିଗ୍‌ ଆୟୋଜନ କରିବା ନିଷ୍ପତ୍ତି ନେଇଛି ଦଳ । ମୟୂରଭଞ୍ଜ ଜିଲ୍ଲାରୁ ଏହାର ଆରମ୍ଭ ହେଉଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ସବୁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଜଣାପଡି଼ଛି । ତେବେ ଏହାକୁ ବିରୋଧୀ ଦଳମାନେ ‘‘ଭୋଟ୍‌ ରାଜନୀତି’’ ବୋଲି କହି କଠୋର ସମାଲୋଚନା କରିଛନ୍ତି ।

ବିଜୁ ଯୁବ ଓ ଛାତ୍ର ଜନତା ଦଳର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆରମ୍ଭ ହେବାକୁ ଥିବା ଏହି ଯୋଜନାର ପ୍ରଥମ ପର୍ଯ୍ୟାୟର ଶୁଭାରମ୍ଭ ଏମ୍‌.ପି.ଏଲ୍‌. ବା ମୟୂରଭଞ୍ଜ ପ୍ରିମିୟମ ଲିଗ୍‌ ରୂପରେ ଆୟୋଜିତ ହେବ । କ୍ରିକେଟ ଟୁର୍ଣ୍ଣାମେଣ୍ଟ ବାରିପଦା ଷ୍ଟାଡିଅମରେ ଆୟୋଜିତ ହେବ ଓ ପୁଟବଲ ଟୁର୍ଣ୍ଣାମେଣ୍ଟ ରାଇରଙ୍ଗପୁରରେ ହେବ । ଖେଳ ପ୍ରତି ଯୁବା ଓ ଛାତ୍ରମାନଙ୍କର ଆଗ୍ରହ ଥିବା କାରଣରୁ ଖେଳ ମାଧ୍ୟମରେ ଯୁବକଙ୍କ ସହ ନିଜକୁ ଯୋଡ଼ିବାକୁ ଏହା ବିଜେଡିର ଏକ ରଣନୀତି ବୋଲି କୁହାଯାଉଛି ।

କ୍ରିକେଟ୍‌ ଓ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ ବିଜେତା ଟିମ୍‌ ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ଥିବା ବେଳେ ରନର୍ସ-ଅପ୍‌ ଟିମ୍‌ ପାଇଁ ଏହାର ପରିମାଣ ୫୦,୦୦୦ ଟଙ୍କା ରହିଛି । କ୍ରିକେଟରେ ମ୍ୟାନ୍‌ ଅଫ ଦି ସିରିଜଙ୍କୁ୍ ମିଳିବ ହିରୋ ସିବିଜେଡ୍‌ ଏକ୍ସଟ୍ରିମ ୧୬୦ ଆର୍‌ ବାଇକ୍‌ ।

କେବଳ କ୍ରିକେଟ୍‌ କି ଫୁଟବଲ୍‌ ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକପ୍ରିୟ ଖେଳକୁ ନେଇ ଯୁବକଯୁବତୀମାନଙ୍କୁ ଦଳ ନିଜ ଆଡ଼କୁ ଆକୃଷ୍ଠ କରିବା ଯୋଜନା ବି ପ୍ରସ୍ତୁତ କରିଛି । ତେବେ ଶାସକ ଦଳର କ୍ରୀଡ଼ାକୁ ନେଇ ଏହି ବିସ୍ତାରିତ କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ କଂଗ୍ରେସ ଓ ବିଜେପି ।

‘‘ରାଜ୍ୟରେ ସ୍ପୋର୍ଟ୍ସ ହଷ୍ଟେଲ ନିର୍ମାଣ କରି କ୍ରୀଡ଼ାର ଭିତ୍ତିଭୂମିର ବିକାଶ କରିଥିଲା କଂଗ୍ରେସ । ବିଜେଡି ପାଖରେ ଅଧିକ ଅର୍ଥ ଥିବାରୁ ଦଲୀୟ ଭିତ୍ତିରେ ଏହି କାର୍ଯ୍ୟକ୍ରମ ସେମାନେ କରୁଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ । ଏହା ତ କ୍ରୀଡ଼ାର ରାଜନୀତିକରଣ!’’ କହିଛନ୍ତି କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ।

ବିଜେପି ରାଜ୍ୟ ସମ୍ପାଦକ ଅମର ନାୟକ କହିଛନ୍ତି, ‘‘ଅତୀତରେ ବିଜେଡି ଭୋଟ ପାଇଁ ବିଜୁ ଯୁବ ବାହୀନି ଠିଆ କରିଥିଲା । ନିର୍ବାଚନ ପରେ ତାହା କୁଆଡ଼େ ଉଭେଇଗଲା । ଏବେ ଏଇଟା ହେଉଛି ବିଜେଡିର ନୂଆ ଭୋଟ୍‌ ରାଜନୀତି । ଓଡି଼ଶାର ଯୁବକଯୁବତୀମାନେ ଏହାକୁ ଆଦୌ ଗ୍ରହଣ କରିବେ ନାହିଁ ।’’

ଏହି ପ୍ରିମିୟମ ଲିଗ ପ୍ରଥମେ ପଞ୍ଚାୟତ ଓ ବ୍ଲକ ସ୍ତରରେ ଆରମ୍ଭ ହୋଇ ପରେ ଜିଲ୍ଲା ସ୍ତରରେ ହେବ ବୋଲି ଜଣାପଡି଼ଛି । ଏହା ଦ୍ୱାରା ପଞ୍ଚାୟତ ଠୁଁ ନେଇ ଜିଲ୍ଲା ପର୍ଯ୍ୟନ୍ତ ଯୁବା ବର୍ଗ ପାଖରେ ଦଳ ପହଞ୍ଚିପାରିବ ବୋଲି ଆଶା କରୁଛନ୍ତି ଏହାର ନେତାମାନେ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ବି ରହିଛି । ତା’ ପୂର୍ବରୁ ଯୁବକଯୁବତୀଙ୍କୁ ବିଜେଡି ନିଜ ଆଡକୁ ଆକୃଷ୍ଠ କରିବାକୁ କରୁଥିବା ଉଦ୍ୟମର ଏକ ଅଙ୍ଗ ରୂପେ ଏହି କାର୍ଯ୍ୟକ୍ରମକୁ ଦେଖାଯାଉଛି ।

‘‘ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରଧାନ୍ୟ ଦେଇଆସୁଛନ୍ତି । ଆନ୍ତର୍ଜାତୀୟ ସ୍ତରର କ୍ରୀଡ଼ା କାର୍ଯ୍ୟକ୍ରମ ରାଜ୍ୟରେ ହେଉଛି । କ୍ରୀଡ଼ା କ୍ଷେତ୍ରର ବିକାଶ ପାଇଁ ମେଗା କାର୍ଯ୍ୟକ୍ରମ ଚାଲିଛି । ଯେଉଁମାନେ ଏହାକୁ ବିରୋଧ ବା ସମାଲୋଚନା କରୁଛନ୍ତି ସେମାନେ ରାଜ୍ୟର ଯୁବକମାନଙ୍କ ସାମଗ୍ରିକ ବିକାଶ ଚାହୁଁନାହାନ୍ତି,’’ କହିଛନ୍ତି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥି ।

ଶନିବାର ଦିନ ବାରିପଦାରେ MPLର ଲୋଗୋ ଓ ଜର୍ସି ଉନ୍ମୋଚନ ହୋଇଛି । ଏହି ଅବସରରେ ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ମଞ୍ଚ ପରିଚାଳନା କରିଥିବା ବେଳେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ପ୍ରଣବ ବଳବନ୍ତ ରାୟ ଓ ଜିଲ୍ଲାର ସାଂସଦ ଏବଂ ବିଧାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

MPLରେ ଫୁଟବଲ୍‌ ଓ କ୍ରିକେଟ୍‌ ଉଭୟ ଖେଳ ଆୟୋଜନ କରାଯାଉଛି । ଏହା ଆଗାମୀ ୩୦ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୬ ତାରିଖ ଯାଏଁ ଜିଲ୍ଲାର ପ୍ରତି ବ୍ଲକରେ ଆୟୋଜିତ ହେବ । ଫେବୃଆରୀ ୮ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ବ୍ଲକ ସ୍ତରରେ ବିଜୟୀ ଦଳଗୁଡିକୁ ନେଇ ବାରିପଦା ଓ ରାଇରଙ୍ଗପୁରଠାରେ ସେମି-ଫାଇନାଲ ଓ ଫାଇନାଲ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଜିଲ୍ଲାର ୨୬ଟି ବ୍ଲକରୁ ଆଠଟି ଲେଖାଏଁ ଫୁଟବଲ୍‌ ଓ କ୍ରିକେଟ୍‌ ଟିମ୍‌ ଅଂଶ ଗ୍ରହଣ କରିବେ ।

୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟର ଯୁବକଯୁବତୀମାନଙ୍କୁ ନିଜ ଆଡ଼କୁ ଆକୃଷ୍ଠ କରିବା ପାଇଁ ବିଜେଡି ବିଜୁ ଯୁବ ବାହୀନି ଗଠନ କରିଥିଲା । ହେଲେ ନିର୍ବାଚନ ପରେ ଏହା ନିଷ୍କ୍ରିୟ ପ୍ରାୟ ହୋଇଯାଇଥିବାରୁ ବର୍ତ୍ତମାନର ନୂଆ କାର୍ଯ୍ୟକ୍ରମକୁ ନେଇ ଅନେକ ଲୋକ ସଂଶୟ ପ୍ରକାଶ କରୁଛନ୍ତି ।

Facebook Comments

Leave a Reply

Your email address will not be published. Required fields are marked *