ହୀରାକୁଦ ଜଳଭଣ୍ଡାରରୁ ବୁଧବାର ପୂର୍ବାହ୍ନ ୧୦ଟାରେ ଛଡ଼ାଯିବ ଏ ବର୍ଷର ପ୍ରଥମ ବନ୍ୟା ଜଳ

ସମ୍ବଲପୁର: ହୀରାକୁଦ ଜଳ ଭଣ୍ଡାରର ଜଳ ପତ୍ତନ କ୍ରମାଗତ ବୃଦ୍ଧି ପାଇ ସର୍ବୋଚ୍ଚ ଜଳ ଧାରଣ କ୍ଷମତାର ପାଖାପାଖି ପହଞ୍ଚିଥିବାରୁ ଆଜି ସେଠାରୁ ଏ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯିବ । ଏହି ଜଳ ନିଷ୍କାସନ ଦ୍ୱାରା ଯେମିତି ସମ୍ବଲପୁର ସହରର ତଳିଆ ଅଞ୍ଚଳରେ କୌଣସି ବନ୍ୟା ପରିସ୍ଥିତି ସୃଷ୍ଟି ନ ହେବ ସେଥି ପାଇଁ ସଜାଗ ରହିଛି ଜିଲ୍ଲା ପ୍ରଶାସନ ।

ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ସେଠାରେ ଜଳ ସ୍ତର ୬୧୫ ଫୁଟ ଅତିକ୍ରମ କରିସାରିଛି । ତେଣୁ ଜଳ ନିଷ୍କାସନ ଜରୁରୀ ହୋଇପଡ଼ିଛି । ବୁଧବାର ପୂର୍ବାହ୍ନ ଠିକ୍ ୧୦ଟା ସମୟରେ ପ୍ରଥମେ ୭ ନମ୍ବର ସ୍ଲୁଇସ ଗେଟ ଖୋଲି ଜଳ ନିଷ୍କାସନ କରାଯିବ ବୋଲି କହିଛନ୍ତି ଜଳ ଭଣ୍ଡାର କର୍ତ୍ତୃପକ୍ଷ ।

ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୬୮,୮୯୯ ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ପାୱାର କେନାଲ ଓ ଜଳ ସେଚନ ପାଇଁ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରୀ କେନାଲ ଓ ଶାସନ କେନାଲ ସମେତ ବିଭିନ୍ନ କେନାଲ ଦେଇ ପ୍ରତି ସେକେଣ୍ଡରେ ମାତ୍ର ୧୫,୨୭୭ ଘନ ଫୁଟ ଜଳ ନିଷ୍କାସିତ ହେଉଛି ବୋଲି କହିଛନ୍ତି ଅଧିକାରୀମାନେ ।

‘‘ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର ଲଗାତାର ଭାବେ ବୃଦ୍ଧି ପାଉଛି । ଡ୍ୟାମର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳ ଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଛି । ଏହାକୁ ଦୃଷ୍ଟିରେ ରଖି ୨୫ ତାରିଖ ଦିନ ଠିକ୍‌ ପୂର୍ବାହ୍ନ ୧୦ଟା ବେଳେ ଏ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ ହେବ,’’ କହିଛନ୍ତି ହୀରାକୁଦ ଡ୍ୟାମ ତଥା ମହାନଦୀ ଅପର ବେସିନର ମୁଖ୍ୟ ଯନ୍ତ୍ରୀ ସୁନିଲ ନାୟକ ।

ସମ୍ବଲପୁର ସହରରେ ମହାନଦୀ କୂଳରେ ଥିବା ବାଲିବନ୍ଧା ସ୍ଥିତ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ପମ୍ପିଙ୍ଗ ଷ୍ଟେସନ ଓ ବିନାଖଣ୍ଡିରେ ଥିବା ପମ୍ପିଙ୍ଗ ଷ୍ଟେସନ ସମ୍ପୁର୍ଣ୍ଣ ପ୍ରସ୍ତୁତ କରି ରଖାଯାଇଥିବା ବେଳେ ପରୀକ୍ଷାମୂଳକ ଟ୍ରାୟଲ ରନ୍‌ ସରିଛି । ଏଥି ସହିତ ସମ୍ବଲପୁର ସହରର ବିଭିନ୍ନ ତଳିଆ ଅଞ୍ଚଳରୁ ଉଦବୃତ୍ତ ଜଳ ନିଷ୍କାସନ କରିବା ପାଇଁ ମଟର ପମ୍ପ ପ୍ରସ୍ତୁତ ରଖାଯାଇଛି ।

ହୀରାକୁଦ ଡ୍ୟାମ କତ୍ତୃପକ୍ଷଙ୍କ ତରଫରୁ ବନ୍ୟା ଜଳ ପରିଚାଳନା ପାଇଁ ପ୍ରସ୍ତୁତି ସ୍ବରୁପ ମୁଖ୍ୟ ବନ୍ୟା ନିୟନ୍ତ୍ରଣ କକ୍ଷରେ ପ୍ରତି ତିନି ଘଣ୍ଟାରେ ଜଳ ଭଣ୍ଡାରର ସ୍ଥିତି, ଉପର ମୁଣ୍ଡରେ ବର୍ଷାର ପରିମାଣ, ଉପନଦୀଗୁଡ଼ିକରେ ପ୍ରବାହିତ ହେଉଥିବା ଜଳର ପରିମାଣ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଆବଶ୍ୟକ ହେଲେ ପ୍ରତି ଘଣ୍ଟାରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି । ହୀରାକୁଦ ଜଳ ଭଣ୍ଡାରରେ ୬୪ଟି ସ୍ଲୁଇସ ଗେଟ୍‌ ଓ ୩୪ଟି କ୍ରେଷ୍ଟ ଗେଟକୁ ମିଶାଇ ସମୁଦାୟ ୯୮ଟି ଗେଟ୍‌ ରହିଛି ।

Facebook Comments

Leave a Reply

Your email address will not be published. Required fields are marked *