ନୟାଗଡ଼ରେ ମଶାଣି ବିବାଦ ଯୋଗୁଁ ଗାଁ ମୁଣ୍ଡରେ ଦୁଇ ଦିନ ପଡ଼ିରହିଲା ଶବ

ମଶାଣିକୁ ନେଇ ଲାଗି ରହିଥିବା ବିବାଦ ହିଁ ଏମିତି ଅସ୍ୱାଭାବିକ ସ୍ଥିତିର କାରଣ । ଦୁଇ ସାହି ମଧ୍ୟରେ ମଶାଣି ବିବାଦ ଲାଗି ରହିଥିବାରୁ ନାଥ ପ୍ରଧାନଙ୍କ ଶବ ସଂକାର ହୋଇପାରି ନ ଥିଲା ।
ଗାଁରେ ଥିବା ଶ୍ମଶାନକୁ ନେଇ ଗାଁର କାଳନ୍ଦୀସାହି ଓ ଉପରସାହି ମଧ୍ୟରେ ବିବାଦ ଯୋଗୁଁ ଗାଁରେ ନାଥ ପ୍ରଧାନଙ୍କ ଶବ ପଡ଼ି ରହିବା ଘଟଣା ପୋଲିସକୁ ନାକେଦମ କରିଥିଲା ।
ପୂର୍ବରୁ ରହିଥିବା ଗାଁ ମଶାଣି ଆଗରେ ସ୍କୁଲ ରହିଥିବାରୁ ଶବ ପୋଡ଼ିବାକୁ ବିରୋଧ କରିଥିଲେ କାଳନ୍ଦୀସାହି ବାସିନ୍ଦାମାନେ । ଏହାକୁ କେନ୍ଦ୍ର କରି ଦୁଇ ସାହି ମଧ୍ୟରେ ବିବାଦ ଦେଖା ଦେଇଥିଲା ।
ନିଜ ଜିଦରେ ଦୁଇ ସାହିର ବାସିନ୍ଦାମାନେ ଅଟଳ ରହିବାରୁ ଉତ୍ତେଜନା ଉପୁଜିଥିଲା ।
କାଳନ୍ଦୀସାହି ଲୋକଙ୍କ ବିରୋଧ ଯୋଗୁଁ ମୃତ ନାଥ ପ୍ରଧାନଙ୍କ ଶବ ସଂସ୍କାର ହୋଇ ନ ପାରି ଶୁକ୍ରବାର ଠାରୁ ଗାଁ ମୁଣ୍ଡରେ ପଡ଼ିରହିଥିଲା ।
ଦୁଇ ସାହି ମଧ୍ୟରେ ବିବାଦ ଲାଗି ରହିଥିବାରୁ ଘଟଣା ସ୍ଥଳରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିଲେ ।
ଶେଷରେ କାଳନ୍ଦୀସାହି ଲୋକଙ୍କ ବିରୋଧ ମଧ୍ୟରେ ପୋଲିସ ଦୁଇ ସାହିର ଲୋକଙ୍କ ଉପସ୍ଥିତିରେ ସ୍ଥାନୀୟ ତହସିଲଦାରଙ୍କ ଅନୁମତି ନେଇ ପୂର୍ବରୁ ରହିଥିବା ମଶାଣିରେ ନାଥଙ୍କ ଶବ ସଂସ୍କାର କରିଥିଲା ।
ସାତ ଦିନ ପରେ ଉଭୟ ପକ୍ଷକୁ ନେଇ ଗାଁରେ ଏକ ସ୍ଥାୟୀ ମଶାଣି ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍ଥାନୀୟ ତହସିଲଦାର ।
ଏହି ଘଟଣା ପୂରା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ମୃତ ଦେହ ପ୍ରତି ଉପଯୁକ୍ତ ସମ୍ମାନ ଦେଖାଇବା ଯେ ସମସ୍ତଙ୍କର କର୍ତ୍ତବ୍ୟ ତାହା ଲୋକଙ୍କୁ ବୁଝାଯିବା ଉଚିତ ବୋଲି କହିଛନ୍ତି ବୁଦ୍ଧିଜୀବୀମାନେ ।

Leave a Reply

Your email address will not be published. Required fields are marked *