ଅସହାୟଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରସନପୁରର ‘ଜୟ ଜଗନ୍ନାଥ ସେବା ସଂଘ’

ଜଗତସିଂହପୁର : କରୋନା କାଳରେ ସାଧାରଣ ଲୋକଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିବା ସହ ଭାଙ୍ଗିପଡିଛି ଆର୍ଥିକ ସ୍ଥିତି | ହେଲେବି ହାରିଯାଇନି ମଣିଷ ଆଉ ଏବେବି ବଞ୍ଚିରହିଛି ମଣିଷପଣିଆ | ଏକଥାକୁ ସାବ୍ୟସ୍ତ କରିଦେଖେଇଛନ୍ତି କିଛି ସେବା ମନୋବୃତ୍ତିର ଯୁବକ | ଆଗେଇ ଆସିଛନ୍ତି ନିଜସ୍ୱ ଉଦ୍ୟମରେ ଅସହାୟଙ୍କ ସହାୟତା ପାଇଁ | ନିଜର ସ୍ୱଳ୍ପ ରୋଜଗାରରୁ କାଟି ଯଥାସମ୍ଭବ ସାହାଯ୍ୟର ହାତ ବଢ଼ାଇଛନ୍ତି ଆଖପାଖର ସେହି ଅସହାୟ ପରିବାର ଗୁଡିକୁ | ଆଉ ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ |

ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ପ୍ରସନପୁର ଗ୍ରାମର ଦିଲ୍ଲୀପ ମେମୋରିଆଲ କ୍ଳବର ସଦସ୍ୟମାନଙ୍କ ଦ୍ୱାରା ଗଠିତ ‘ଜୟ ଜଗନ୍ନାଥ ସେବା ସଂଘ’ ସ୍ଥାନୀୟ ଅଞ୍ଚଳରେ ନିରବିଛିନ୍ନ ଭାବେ କରିଚାଲିଛି ସେବା କାର୍ଯ୍ୟ | କ୍ଲବ୍ ର ସଦସ୍ୟ ମାନେ ନିଜ ଭିତରେ କିଛି କିଛି ଅର୍ଥ ଆଦାୟ କରି ସ୍ଥାନୀୟ ଆଖ ପାଖ ଅଞ୍ଚଳରେ ଥିବା ଅସହାୟ ପରିବାରରେ ରାସନ ସାମଗ୍ରୀ ପହଞ୍ଚାଉଛନ୍ତି | ବର୍ତ୍ତମାନ ସୁଦ୍ଧା ପ୍ରାୟ ଆଠରୁ ଉର୍ଦ୍ଧ ଗାଁ ମାନଙ୍କରେ ଶହେରୁ ଅଧିକ ପରିବାରରେ ରାସନ ସାମଗ୍ରୀ ସହ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି ସେବା ସଂଘ ପକ୍ଷରୁ | ସ୍ଥାନୀୟ ରାହାଣ, ମୁରୁଣିଆ, ଓରଣ୍ଡ, ବସନ୍ତ, କୋଶିଦା ଓ ଅନ୍ୟ ପାଖ ଗାଁ ମାନଙ୍କରେ ଏହି ସହାୟତା କାର୍ଯ୍ୟକ୍ରମ କରାଯାଉଛି | ଯାହା ଆଗାମୀ ଦିନରେ ଜାରି ରହିବା ସହ ବ୍ୟାପକ କରାଯିବ ବୋଲି ସୂଚନା ଦେଇଛନ୍ତି ସଂଘର ଆବାହକ ଅଭୟ ମାଝୀ | ଅଭୟଙ୍କ କହିବା କଥା ହେଲା, ଆମ ପିଲାମାନେ ପ୍ରାୟ ସମସ୍ତେ କିଛି ନା କିଛି କାମ କରି ରୋଜଗାରକ୍ଷମ ଅଛନ୍ତି | ତେଣୁ ସମସ୍ତେ ମିଶି ଏଭଳି ଏକ ସହାୟତା କାର୍ଯ୍ୟକ୍ରମ କରିବାକୁ ସ୍ଥିର କରି ସେବେଠୁ ଆଗେଇଚାଲିଛୁ | ସ୍ଵଇଚ୍ଛାରେ ନିଜ ସାଧ୍ୟମତେ ସଦସ୍ୟ ମାନେ ଯାହା ସହଯୋଗ କରୁଛନ୍ତି ସେସବୁ ଏହି ସେବା କାମରେ ଲାଗୁଚି | ସେହି ଅସହାୟ ପରିବାର ସଦସ୍ୟଙ୍କ ମୁହଁରେ ହସ ହିଁ ଆମପାଇଁ ସବୁଠୁ ମୂଲ୍ୟବାନ | ଆମର ଏ ପ୍ରୟାସ ଦେଖି ଅନ୍ୟମାନେ ମଧ୍ୟ ସହଯୋଗ କରିବାକୁ ଆଗେଇ ଆସୁଛନ୍ତି ଯାହା ଏହା ଶୁଭ ଖବର |

ସଂଗଠନର ସଦସ୍ୟ ପ୍ରଦୀପ ପ୍ରଧାନ, ଟୁଲୁ ସ୍ୱାଇଁ, ଜୀବନ ମଲ୍ଲିକ, ଗୁଡ଼ୁ ମାଝୀ, ଅଭୟ ପ୍ରଧାନ, ଉତ୍ତମ ପ୍ରଧାନ, ଭାଗବତ ମାଝୀ, ପିଙ୍କୁ ସ୍ୱାଇଁ ଙ୍କ ସହ ସଂଗଠନର ପ୍ରାୟ 50ରୁ ଉର୍ଦ୍ଧ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗିତା କରିବା ସହ ଅଂଶଗ୍ରହଣ କରୁଛନ୍ତି | ଏଭଳି ଦୁର୍ଦ୍ଦିନରେ ଏହି ଯୁବକ ମାନଙ୍କ ନିସ୍ଵାର୍ଥପର ସେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି |

Facebook Comments

Leave a Reply

Your email address will not be published. Required fields are marked *