ମାଲକାନଗିରି ପରେ କାଲିଠୁ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ ଲାଗୁ : ବରଯାତ୍ରୀ ଶୋଭାଯାତ୍ରା, ଅପରୋ ସବୁ ବନ୍ଦ

ଭୁବନେଶ୍ୱର : କରୋନାର ନୂଆ ଷ୍ଟ୍ରେନ୍ ରାଜ୍ୟରେ ଚିହ୍ନଟ ହେବାସହ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଓଡ଼ିଶାକୁ ପୁଣିଥରେ ନାଇଟ କର୍ଫ୍ୟୁ ଫେରିଛି। ମାଲକାନଗିରି ପରେ ଆସନ୍ତାକାଲିଠୁ ନବରଙ୍ଗପୁର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ୧୪୪ ଧାରାରେ ଏହି କର୍ଫ୍ୟୁ ବଳବତ୍ତର ରହିବ। ଏନେଇ ଆଜି ନବରଙ୍ଗପୁର ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନବରଙ୍ଗପୁର ଜିଲ୍ଲାପାଳ ଅଜିତ୍ କୁମାର ମିଶ୍ରଙ୍କ ନିର୍ଦ୍ଦେଶ ଅନୁସାରେ ମାର୍ଚ୍ଚ ୨୫ତାରିଖ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ ଓ ଏହି ଅବଧି ମଧ୍ୟରେ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ରହିବ। ତେବେ ମେଡିକାଲ ଦୋକାନ, ପାଥୋଲୋଜି, କ୍ଲିନିକ, ଭେଟେନାରୀ ହସ୍ପିଟାଲ, ପେଟ୍ରୋଲ ପମ୍ପ, ଏଲପିଜି ଷ୍ଟୋର, ପେଟ୍ରୋଲିୟମ ଓ ଗ୍ୟାସ ରିଟେଲର ଦୋକାନ ଏବଂ ଲଜିଂ ଗୁଡ଼ିକ ପାଇଁ ଏହି କଟକଣା ଲାଗୁ ହେବ ନାହିଁ।

୫ଜଣରୁ ଅଧିକ ଲୋକଙ୍କ ସମାଗମ ହୋଇପାରିବ ନାହିଁ

ଅନ୍ୟପକ୍ଷରେ ନାଇଟ୍ କର୍ଫ୍ୟୁ ସମୟରେ ଜିଲ୍ଲାର କୌଣସି ସ୍ଥାନରେ ୫ଜଣରୁ ଅଧିକ ଲୋକଙ୍କ ସମାଗମ ହୋଇପାରିବ ନାହିଁ। ଅନାବଶ୍ୟକ ସମାବେଶ, ସମସ୍ତ ପ୍ରକାର ସେମିନାର,ୱାର୍କସପ୍ ଓ ସମ୍ମିଳନୀକୁ ବାତିଲ କରାଯାଇଛି। ବରଯାତ୍ରୀ ଶୋଭଯାତ୍ରା, ଅପେରା ଓ ଅନ୍ୟ କୌଣସି ଉତ୍ସବ ଆୟୋଜନ ହୋଇପାରିବ ନାହିଁ। କୌଣସି ପ୍ରକାରର ରାଜନୀତିକ ର‌୍ୟାଲି ଓ ସମାବେଶ ମଧ୍ୟ ମନା। କଲ୍ୟାଣମଣ୍ଡପରେ କୌଣସି ପ୍ରକାରର ସମାବେଶ ଉପରେ କଟକଣା ଜାରି ହୋଇଛି। ସମସ୍ତ ହୋଟେଲଗୁଡ଼ିକରେ ସାନିଟାଇଜେସନ ଓ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରାଯିବ। ଯଦି କୌଣସି ବ୍ୟକ୍ତି କଫ, ଜ୍ୱର ଅବା ନିଶ୍ୱାସପ୍ରଶ୍ୱାସରେ କୌଣସି ସମସ୍ୟା ଅନୁଭବ କରିବେ ତା’ହେଲେ ଜିଲ୍ଲା ହେଲପଲାଇନ୍ ନମ୍ବର ଓ କୋଭିଡ୍ କଣ୍ଟ୍ରୋଲ ରୁମ ୦୬୮୫୮-୨୨୨୪୩୪କୁ ଯୋଗାଯୋଗ କରିବାକୁ କୁହାଯାଇଛି।

ଏହି ନାଇଟକର୍ଫ୍ୟୁ ପରସ୍ଥିତି ଉପରେ ନଜର ରଖିବାକୁ ସମସ୍ତ ତହସିଲଦାର ଓ ପୁଲିସ ଥାନା ଆଇଆଇସିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ବ୍ୟତୀତ ସୋସିଆଲ ମିଡିଆରେ ସମସ୍ତ ପ୍ରକାରର ଗୁଜବ,ଭୁଲ୍ ସୂଚନା ଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Facebook Comments

Leave a Reply

Your email address will not be published. Required fields are marked *