ଓଡ଼ିଶା ପୁଲିସ୍ ପକ୍ଷରୁ ସବ୍‌ଇନ୍‌ସପେକ୍ଟର ଓ କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ : କିନ୍ନର ବି କରିପାରିବେ ଆବେଦନ

ଭୁବନେଶ୍ୱର : ରାଜ୍ୟରେ କିନ୍ନରମାନେ ବି ପୁଲିସ୍‌ରେ ଭର୍ତ୍ତି ହୋଇପାରିବେ। ଓଡ଼ିଶା ପୁଲିସ୍ ପକ୍ଷରୁ ସବ୍‌ଇନ୍‌ସପେକ୍ଟର ଓ କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ବାହାରିଥିବା ସଦ୍ୟ ବିଜ୍ଞପ୍ତିରେ ଏହି କଥା ଉଲ୍ଲେଖ ରହିଛି।

୪୭୭ଟି ସବ୍‌ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିଭଳି ୨୪୪ଟି କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥିପାଇଁ ଜୁନ୍‌ ୨୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆବେଦନ କରିବାର ଶେଷ ତାରିଖ ହେଉଛି ଜୁଲାଇ ୧୫। ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀମାନେ ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ।

ସବ୍‌ଇନ୍ସପେକ୍ଟର ପଦବୀ ପାଇଁ ଯେଉଁମାନେ ଆବେଦନ କରିବେ ସେମାନଙ୍କ ବୟସ ୨୧ ବର୍ଷରୁ କମ୍ ହୋଇନଥିବ କି ୧.୧.୨୦୨୧ ସୁଦ୍ଧା ୨୫ ବର୍ଷରୁ ଅଧିକ ହୋଇନଥିବ। ତେବେ ଏସ୍‌ଟି, ଏସ୍‌ସି, ଏସ୍‌ଇବିସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ବୟସ ୫ ବର୍ଷ କୋହଳ ରହିଛି।

ସେହିଭଳି କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ଯେଉଁମାନେ ଆବେଦନ କରିବେ ସେମାନଙ୍କ ବୟସ ୧୮ ବର୍ଷରୁ କମ୍ ହୋଇ ନଥିବ ତଥା ୧.୧.୨୦୨୧ ସୁଦ୍ଧା ୨୩ ବର୍ଷରୁ ଅଧିକ ହୋଇନଥିବ।

ଏ ସଂପର୍କରେ ସୂଚନା ଦେଇ ଡିଜିପି ଅଭୟ କହିଛନ୍ତି, ସବ୍‌ଇନ୍ସପେକ୍ଟର ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ପାସ୍‌ ରଖାଯାଇଛି। ଚଳିତବର୍ଷ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି l ଗୋଟିଏ ଲିଖିତ ପରୀକ୍ଷା ହେବା ସହ ସେଥିରେ ମଲ୍ଟିପଲ ଚଏସ ପ୍ରଶ୍ନ ରହିବ l ଏଥିସହ ପ୍ରାର୍ଥୀମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରେ ଵି କୃତକାର୍ଯ୍ୟ ହେଵାକୁ ପଡିବ।

ସେହିଭଳି କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ଇଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ଶିକ୍ଷା ଯୋଗ୍ୟତା ଯୁକ୍ତ ୨ ପାସ୍‌ ରଖାଯାଇଥିବା ବେଳେ ସେମାନେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ କୌଣସି ଅନୁଷ୍ଠାନରୁ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା କରିଥିବା ଆବଶ୍ୟକ। ଏହାବାଦ୍‌ ଶାରୀରିକ ଦକ୍ଷତା ପରୀକ୍ଷାରେ ଵି ସେମାନଙ୍କୁ କୃତକାର୍ଯ୍ୟ ହେଵାକୁ ପଡ଼ିବ।

Facebook Comments

Leave a Reply

Your email address will not be published. Required fields are marked *