ବଢ଼ୁଛି ଖରା ; ମାର୍ଚ୍ଚ ୧ ସୁଦ୍ଧା ପାରଦ ଛୁଇଁବ ୪୦ ଡିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି ତାପମାତ୍ରା । ଫେବୃଆରୀ ନ ସରୁଣୁ ପାରଦ ୩୬ ଡିଗ୍ରୀ ସେଲସିଅସରୁ ଅଧିକ ଛୁଇଁଲାଣି । ଏଣିକି ଶୀତ କମିବା ସାଙ୍ଗକୁ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ କହୁଛି । ଏବେ ଠାରୁ ଲୋକେ ଖରାକୁ ନେଇ ଆଶଙ୍କିତ ହେଲେଣି । ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ଫେବୃଆରୀ ଶେଷ ଓ ମାର୍ଚ୍ଚ ପହିଲାରେ ୪୦ ଡିଗ୍ରୀ ସେଲସିଅସ୍‌ ଛୁଇଁପାରେ ତାପମାତ୍ରା ।

ଦିନ ସାଙ୍ଗକୁ ରାତିର ତାପମାତ୍ରା ବୃଦ୍ଧି ପାଇବା ସହ ଫେବୃଆରୀ ମାସରୁ ହିଁ ଓଡ଼ିଶାରେ ଶୀତ ଗାୟବ ହୋଇଛି । ବିଶେଷ କରି ଉପକୂଳ ଓଡିଶାରେ ଅଧିକ ଖରା ଓ ଗରମ ଅନୁଭୂତ ହେଉଛି । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୬.୫ ଡିଗ୍ରୀ ସେଲସିଅସ୍‌ ରେକର୍ଡ ହୋଇଥିବା ବେଳେ ତା’ ତଳକୁ କଟକ ସହରର ତାପମାତ୍ରା ୩୫.୨ ଡିଗ୍ରୀ ସେଲସିଅସ୍‌ ରେକର୍ଡ ହୋଇଛି । ଅଧିକାଂଶ ସହରର ତାପମାତ୍ରା ରହିଛି ୩୩ ଡିଗ୍ରୀ ସେଲସିଅସ୍‌ ଉପରେ।

ଆହୁରି ପାଞ୍ଚ ଦିନ ଧରି ପାଗ ଶୁଖିଲା ରହିବା ସହ ଦିନରେ ଟାଣ ଖରା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ତାପମାତ୍ରା ବୃଦ୍ଧି ପାଇ ବୁଧବାର ଦିନ ୩୭ ଡିଗ୍ରୀ ସେଲସିଅସରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

‘‘ପୂର୍ବ ଆକଳନ ଅନୁଯାୟୀ ରାଜ୍ୟରେ ତାପମାତ୍ରା ବେଶ୍‌ ବୃଦ୍ଧି ପାଇଛି । ଆଗକୁ ଆହୁରି ବଢିବ। ପାକିସ୍ତାନ ଓ ରାଜସ୍ଥାନରୁ ମଧ୍ୟ ପ୍ରଦେଶ ହୋଇ ଆମ ରାଜ୍ୟକୁ ଗରମ ପବନ ପ୍ରବାହିତ ହେଉଛି । ଫଳରେ ତାପମାତ୍ରା ଶୀଘ୍ର ବଢ଼ିବାରେ ଲାଗିଛି। ଫେବୃଆରୀ ଶେଷ ଓ ମାର୍ଚ୍ଚ ୧ ବେଳକୁ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ୍‌ ଛୁଇଁପାରେ,’’ କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ।

ଖରା ଓ ଗରମ ଏବେ ଠାରୁ ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି । ସକାଳ ୧୦ଟା ପରେ ଟାଣ ଖରା ଦେଖିବାକୁ ମିଳୁଛି । ଏହାକୁ ନେଇ ଆଗକୁ ପ୍ରବଳ ଖରା ହେବ ବୋଲି ଭାବି ଲୋକେ ଡରିଲେଣି । ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ଯେ ଆସନ୍ତା ଦୁଇ ଦିନ ମଧ୍ୟରେ ଉପକୂଳ ଓଡିଶାରେ ୨ ଡିଗ୍ରୀ ସେଲସିଅସ୍‌ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ସହ କେନ୍ଦ୍ରୀୟ ଓଡିଶା ଓ ପଶ୍ଚିମ ଓଡ଼ିଶାରେ ଧୀରେ ଧୀରେ ତାପମାତ୍ରା ବଢ଼ିବ । ଫେବୃଆରୀ ୨୮ କିମ୍ବା ମାର୍ଚ୍ଚ ୧ ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ୍‌ ଛୁଇଁବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

Facebook Comments

Leave a Reply

Your email address will not be published. Required fields are marked *