ସେରୋମିକ୍ କଳାର ସୃଜନଶୀଳତା ଲୋକଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ସରୋଜ

ଭୁବନେଶ୍ୱର : ନିଜ ହାତରେ ନିଜ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ଓ ଚାଲୁଥିବା ଧାରାକୁ ପରିବର୍ତ୍ତନ କରି ନିଜର ବୁଦ୍ଧି ଓ ସାମର୍ଥ୍ୟ ଦ୍ୱାରା ନବୀନତା ଆଣିବା ବେଶ୍ ସ୍ୱାଗତଯୋଗ୍ୟ | ସେହିଭଳି ଜଣେ ପ୍ରତିଭାବାନ କାରିଗର ହେଉଛନ୍ତି ମୃତ୍ତିକା ଶିଳ୍ପୀ ଶ୍ରୀଯୁକ୍ତ ସରୋଜ ରାଉତ | ବର୍ତ୍ତମାନ ଶ୍ରୀଯୁକ୍ତ ରାଉତ ଲଳିତକଳା ଏକାଡେମୀରେ ସୁପର୍ଭାଇଜର୍ ରୂପେ କାର୍ଯ୍ୟରତ |

ପିଲାବେଳୁ ମୂର୍ତ୍ତି କାରିଗରୀ ଓ ଚିତ୍ରକଳାରେ ପାରଂଗମତା ସହ ଇଛାଶକ୍ତି ସେରୋମିକ୍ କଳା ପ୍ରତି ଆକୃଷ୍ଟ କରିଥିଲା |

ଏକ କୃଷକ ପରିବାରର ପୁଅ ହେଉଛନ୍ତି ସରୋଜ | ବିଦ୍ୟାଳୟରେ ପଢ଼ୁଥିବା ସମୟରୁ ହିଁ ଚିତ୍ରକଳା ଓ ଗ୍ରାମରେ ତିଆରି ହେଉଥିବା ମୂର୍ତ୍ତି କାର୍ଯ୍ୟ ପ୍ରତି ତାଙ୍କ ରୁଚି ଥିଲା | ପ୍ରାଥମିକ ପର୍ଯ୍ୟାୟରେ ସେରୋମିକ୍ କଳାରେ ନିଜର ବୃତ୍ତି ଓ ଦକ୍ଷତାକୁ ପ୍ରତିପାଦିତ ପାଇଁ ତାଙ୍କ ପିତାମାତା ଅମଙ୍ଗ ଥିଲେ ମାତ୍ର ପରେ ତାଙ୍କର ଇଛାଶକ୍ତି ଦେଖି ତାଙ୍କୁ ଅନୁମତି ପ୍ରଦାନ କରିଥିଲେ | ଏହା ପରେ ସରୋଜ ଆଉ ପଛକୁ ଚାହିଁ ନଥିଲେ | ଭୁବନେଶ୍ୱର ଆସି ହସ୍ତଶିଳ୍ପରେ ୨ବର୍ଷ ଶିକ୍ଷା ଲାଭ ପରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ଫାଇନ୍ ଆର୍ଟରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଉଚ୍ଚଶିକ୍ଷା ପାଇଁ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଚାଲିଗଲେ ଓ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଲେ |

ଜନଜାତି ସଂସ୍କୃତି ଓ କୁମ୍ଭାରଶିଳ୍ପରେ ଆଧୁନିକର ଛାପ ଦିଅନ୍ତି ନିଜ ସେରୋମିକ୍ କଳା ଦ୍ଵାରା-

ଚାଇନା କ୍ଳେ(ଏକ ପ୍ରକାର ମୃତ୍ତିକା),ବଲ୍କ୍ଲୋସ କ୍ଳେ ଓ କମନ୍ କ୍ଳେ ଭଳି ମୃତ୍ତିକରୁ ନିଜର ସେରୋମିକ୍ କଳା ପ୍ରସ୍ତୁତ କରନ୍ତି ସରୋଜ | ଏହା ଟିକେ ନିଆରା କାରଣ ଏଥିରେ ଗ୍ଲେଜ୍,ଇଲେକ୍ଟ୍ରି ଭାଟି ମଧ୍ୟ ବ୍ୟବହାର ହୁଏ | ଏଥିରେ ପ୍ରମୁଖ କଥା ଏହା ଯେ ସରୋଜ ନିଜର ସେରୋମିକ୍ କଳାରେ ପୁରୁଣା ମଡେଲର ଦ୍ରବ୍ୟ ବନାଉଥିବା ବେଳେ ରୋମାଞ୍ଚକ ଓ ଆଶ୍ଚର୍ଯ୍ୟଜନକ ଜିନିଷ ମଧ୍ୟ ନିର୍ମାଣ କରନ୍ତି | ଯେମିତିକି ଲୋକଙ୍କୁ ନୂଆ କିଛି ଅନୁଭବ ହେବ | ୨୦୧୯ରେ ସରୋଜ କେନ୍ଦ୍ର ସରକାରଙ୍କ ତରଫରୁ ଫେଲୋସିପ୍ ମଧ୍ୟ ପାଇଛନ୍ତି | ତାଙ୍କର ଏହି ଗବେଷଣାରେ ରହିଛି,ସେରୋମିକ୍ କଳାରେ “ଡଙ୍ଗରିଆ ଜୀବନ ଶୈଳୀ ଓ ରାଜନୈତିକ”ଏହି କଳାକୁ ସେ ଏକ ଚେସ୍ ବୋର୍ଡ଼ ମାଧ୍ୟମରେ ଗଢିଛନ୍ତି | ଗୋଟିଏ ପାର୍ଶ୍ୱରେ ତାଙ୍କର ଜୀବନ ଚର୍ଯ୍ୟା ତଥା ଲୁଗାଧଡି,ଘରର ସାଜସଜ୍ଜା ଏହା ସହିତ ଅନ୍ୟ ପାର୍ଶ୍ୱରେ ବେଦାନ୍ତର ଜାଗାହଡପ,ରାଜନୈତିକ ଚର୍ଚା ଓ ସେମାନଙ୍କ ସରଳବିଶ୍ୱାସ | ଯାହାକୁ ଅତ୍ୟନ୍ତ ସୁନ୍ଦର ଓ ମନୋରମ ଭାବେ ଗଢିଛନ୍ତି ସରୋଜ |

ପ୍ରେରଣା,ପୁରସ୍କାର ସମ୍ମାନ ଓ ପ୍ରଦର୍ଶନୀ

ନିଜର ପରିଶ୍ରମ ଓ ପ୍ରତିଭା ଦ୍ୱାରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରସଂଶା ମଧ୍ୟ ସାଉଁଟିଛନ୍ତି ସରୋଜ | ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର,ଶିଳ୍ପୀ ରଘୁନାଥ ମହାପାତ୍ରଙ୍କଠୁ ପ୍ରସଂଶା ଓ ଆଶୀର୍ବାଦ ପାଇଥିବା ବେଳେ ନିଜର ସମସାମୟିକ ଶିଳ୍ପୀ ପୃଥ୍ୱୀରାଜ ସିଂହଦେଓ,ଶୋଭନ କୁମାର, ବିଶ୍ୱରଂଜନ କରଙ୍କଠୁ ପ୍ରେରଣା ମଧ୍ୟ ପାଇଛନ୍ତି |

ଏହାଛଡା ତାଙ୍କର ଅନ୍ୟାନ୍ୟକୃତୀ-ପୁରସ୍କାର ସମ୍ମାନ ଓ ପ୍ରଦର୍ଶନୀ-

ଲଳିତକଳା ଏକାଡେମୀ ଦିଲ୍ଲୀ ବୃତ୍ତି-୨୦୧୨-୧୩
CCERT ଜୁନିୟର ଫେଲୋସିପ୍-୨୦୧୭-୧୮
ଓଡ଼ିଶା ରାଜ୍ୟ ହସ୍ତଶିଳ୍ପ ପୁରସ୍କାର
ଓଡିଶା ଲଳିତକଳାଏକାଡେମୀ ରାଜ୍ୟ ପୁରସ୍କାର
ଷ୍ଟେଟ ମେରିଟ୍ ଆୱାର୍ଡ ଟେରାକୋଟା(ଓଡିଶା ସରକାର)ଇତ୍ୟାଦି |
ଏହା ସହିତ ଲଳିତକଳା ଏକାଡେମୀ,ଓଡ଼ିଶା ମଡ଼ର୍ଣ୍ଣ ଆର୍ଟ ଗ୍ୟାଲେରୀ,ଲୋକାୟତ ଆର୍ଟ ଗ୍ୟାଲେରୀ ଦିଲ୍ଲୀ,ଜାତୀୟ କଳା ପ୍ରଦର୍ଶନୀ ନୂଆଦିଲ୍ଲୀ,ଓଡ଼ିଆ ଆର୍ଟ ଫେୟାର୍ ଭଳି ପ୍ରଦର୍ଶନୀରେ ଯୋଗ ଦେଇଛନ୍ତି ସରୋଜ | ଖଲ୍ଲିକୋଟରେ ଟେରାକୋଟା କ୍ୟାମ୍ପରେ ଯୋଗ ଦେଇଥିବା ବେଳେ ବମ୍ବେରେ ପିର୍ମାଲ ଆର୍ଟରେ ତିନିସପ୍ତାହ ଯୋଗ ଦେଇଥିଲେ |

ଭବିଷ୍ୟତ ଲକ୍ଷ୍ୟ ଓ ଯୋଜନା-

ସେରୋମିକ୍ କଳାର ପ୍ରଚାର ପ୍ରସାର ପାଇଁ ଓ ଲୋକ ଲୋଚନକୁ ଆଣିବା ପାଇଁ ସ୍ବପ୍ନ ଦେଖିଛନ୍ତି ସରୋଜ | ନିଜର ଷ୍ଟୁଡିଓ ସ୍ଥାପନ କରିବା ସହିତ ପିଲାମାନଙ୍କୁ ମାଗଣାରେ ଏହି କଳା ଶିକ୍ଷା ଦେଉଛନ୍ତି | ଏହା ସହିତ ଏକ ୫ଫୁଟର ମୁକ୍ତେଶ୍ଵର ମନ୍ଦିର ମଡେଲ୍ ପ୍ରସ୍ତୁତିର ଯୋଜନା ରଖିଛନ୍ତି ସରୋଜ | ଭବିଷ୍ୟତରେ ଏହି କଳାକୁ ଆସୁଥିବା ପିଲାଙ୍କୁ ଏହି ମାର୍ଗ ଦେଇଛନ୍ତି ସରୋଜ-ଏହି କଳାକୁ ଭଲପାଉଥିବା ବ୍ୟକ୍ତି ଆଗକୁ ଆସିଲେ ସେ ଭଲ ଉପାର୍ଜନ କରିବା ସହ ଆସିବା ପୂର୍ବରୁ ଏହି ଦିଗ ସମ୍ପର୍କିତ ଶିକ୍ଷାଲାଭ ନିହାତି ଆବଶ୍ୟକ | ସ୍କୁଲ ପାଠ୍ୟକ୍ରମରେ ଏହି କଳାକୁ ସାମିଲ କଲେ ପିଲାମାନେ ଭବିଷ୍ୟତରେ ଉପକୃତ ହେବେ |

ପ୍ରସ୍ତୁତି : ଦେବୀପ୍ରସାଦ ରଥ

Facebook Comments

Leave a Reply

Your email address will not be published. Required fields are marked *