ଓଡିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର

କଟକ : ଓଡିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶୁକ୍ରବାର ଶପଥ ନେଇଛନ୍ତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର । ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର ଜଷ୍ଟିସ ମହାପାତ୍ରଙ୍କୁ ଶପଥ ପାଠ କରାଇଛନ୍ତି । ହାଇକୋର୍ଟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଶପଥ ପାଠ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ଆଡଭୋକେଟ ଜେନେରାଲ, ହାଇକୋର୍ଟ ବାର ଆସୋସିଏସନ କର୍ମକର୍ତ୍ତା ପୋଲିସ ଡିଜି, ପୋଲିସ କମିଶନରଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ହେଉଛନ୍ତି କଟକ ସୂତାହାଟ ବାସିନ୍ଦା । ୧୯୮୪ ମସିହାରେ ରେଭେନ୍ସା କଲଜିଏଟ ସ୍କୁଲରୁ ମାଟ୍ରିକ ପାସ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଶେଷ କରିଥିଲେ। ଏହାପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ଶେଷ କରି ୧୯୯୫ ମସିହାରେ ରାଜ୍ୟ ଆଇନଜୀବୀ ପରିଷଦରେ ଆଇନଜୀବୀ ଭାବେ ପଞ୍ଜିକୃତ ହୋଇଥିଲେ । ସେବେଠାରୁ ସେ ଆଇନଜୀବୀ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଓଡିଶା ମାନବିକ ଅଧିକାର ଆୟୋଗ, ବିପିୟୁଟି ଓ ଭାରତୀୟ ନିର୍ବାଚନ କମିଶନଙ୍କର ଓକିଲ ଭାବେ ସେ ଓଡିଶା ହାଇକୋର୍ଟରେ ଗୁରୁ ଦାୟିତ୍ବ ନିର୍ବାହ କରିଛନ୍ତି । ସେ ହାଇକୋର୍ଟରେ ସମସ୍ତ ପ୍ରକାର ମାମଲାର ପରିଚାଳନାରେ ସିଦ୍ଧହସ୍ତ ଥିଲେ। ଦୀର୍ଘ ୨୬ ବର୍ଷ ଧରି ହାଇକୋର୍ଟରେ ବହୁ ମାମଲା ସଫଳତାର ସହ ସେ ପରିଚାଳନା କରି ଆସୁଥିଲେ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଶପଥ ଗ୍ରହଣ କରିବା ପରେ ଓଡିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୮ରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *